John 8
1କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ । 2ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । 3ଆଉ, ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ, 4ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି । 5ଏହିପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୋଶା ଆମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି; ତେବେ ଆପଣ କ’ଣ କହୁଅଛନ୍ତି ? 6ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ । କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ । 7ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ । 8ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ । 9ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ । 10ପୁଣି, ଯୀଶୁ ମସ୍ତକ ଉତ୍ତୋଳନ କରି ତାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି ? କେହି କ’ଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ ? 11ସେ କହିଲା, କେହି ନାହିଁ, ପ୍ରଭୁ । ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ; ଯାଅ, ଆଜିଠାରୁ ଆଉ ପାପ କର ନାହିଁ ।]ଯୀଶୁ ଜଗତର ଜ୍ୟୋତିଃ
12ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । 13ସେଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ, ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହେଁ । 14ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ । 15ତୁମ୍ଭେମାନେ ମନୁଷ୍ୟ ଭାବରେ ବିଚାର କରିଥାଅ, ମୁଁ କାହାରି ବିଚାର କରେ ନାହିଁ । 16କିନ୍ତୁ ମୁଁ ଯଦି ବିଚାର କରେ, ତେବେ ସୁଦ୍ଧା ମୋହର ବିଚାର ଯଥାର୍ଥ; କାରଣ ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋ’ ସାଙ୍ଗରେ ଅଛନ୍ତି । 17ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି । 18ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ’ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି । 19ସେଥିରେ ସେମାନେ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁମ୍ଭର ପିତା କାହାନ୍ତି ? ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ ମୋତେ ଜାଣ ନାହିଁ କିମ୍ବା ମୋହର ପିତାଙ୍କୁ ମଧ୍ୟ ଜାଣ ନାହିଁ; ଯଦି ମୋତେ ଜାଣନ୍ତ, ତେବେ ମୋହର ପିତାଙ୍କୁ ମଧ୍ୟ ଜାଣନ୍ତ । 20ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା । 21ସେଥିରେ ସେ ପୁନର୍ବାର ସେମାନଙ୍କୁ କହିଲେ, ମୁଁ ଯାଉଅଛି, ଆଉ ତୁମ୍ଭେମାନେ ମୋତେ ଖୋଜିବ ଓ ଆପଣା ଆପଣା ପାପରେ ମରିବ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ । 22ତେଣୁ ଯିହୂଦୀମାନେ କହିବାକୁ ଲାଗିଲେ, ଏ କ’ଣ ଆତ୍ମହତ୍ୟା କରିବ ବୋଲି କହୁଅଛି, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ ? 23ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ; ତୁମ୍ଭେମାନେ ଜଗତରୁ ଉତ୍ପନ , ମୁଁ ଜଗତରୁ ଉତ୍ପନ ନୁହେଁ । 24ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ । 25ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ ? ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ସଙ୍ଗରେ କଥା କହିଲେ ଲାଭ କ’ଣ ? 26ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହି ସବୁ ଜଗତକୁ ଜଣାଉଅଛି । 27ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ । 28ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ । 29ମୋହର ପ୍ରେରଣକର୍ତ୍ତା ମୋ’ ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ । 30ସେ ଏହି ସମସ୍ତ କଥା କହନ୍ତେ, ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।ସ୍ୱାଧୀନ ଏବଂ କ୍ରୀତଦାସ
31ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ, 32ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ । 33ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ ? 34ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ । 35ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ । 36ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ । 37ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ । 38ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହି ସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହି ସବୁ କର ।ଶୟତାନର ସନ୍ତାନ
39ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା । ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର; 40କିନ୍ତୁ ଯେ ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରିଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ । 41ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ୱର । 42ଯୀଶୁ ସେମାନଙ୍କୁ କହିଲେ, ଈଶ୍ୱର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ । 43ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ । 44ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା । 45କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ । 46ମୋ’ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ ? 47ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।ଅବ୍ରହାମଙ୍କ ପୂର୍ବରୁ ଯୀଶୁ ଥିଲେ
48ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କ’ଣ ଆମ୍ଭେମାନେ ଠିକ କହୁ ନାହୁଁ ? 49ଯୀଶୁ ଉତ୍ତର ଦେଲେ, ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ । 50କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି । 51ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ । 52ଯିହୂଦୀମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ । 53ତୁ କ’ଣ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ଅପେକ୍ଷା ଶ୍ରେଷ୍ଠ? ସେ ତ ମୃତ୍ୟୁଭୋଗ କରିଅଛନ୍ତି, ଭାବବାଦୀମାନେ ମଧ୍ୟ ମୃତ୍ୟୁଭୋଗ କରିଅଛନ୍ତି; ତୁ ନିଜକୁ କିଏ ବୋଲି କହୁଅଛୁ ? 54ଯୀଶୁ ଉତ୍ତର ଦେଲେ, ମୁଁ ଯଦି ନିଜର ଗୌରବ କରୁଥାଏ, ତେବେ ମୋହର ଗୌରବ କିଛି ନୁହେଁ; ମୋହର ଯେଉଁ ପିତାଙ୍କୁ ତୁମ୍ଭେମାନେ ତୁମ୍ଭମାନଙ୍କ ଈଶ୍ୱର ବୋଲି କହୁଅଛ, ସେ ମୋହର ଗୌରବ କରୁଅଛନ୍ତି ; 55ଆଉ, ତୁମ୍ଭେମାନେ ତାହାଙ୍କୁ ଜାଣି ନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ । ପୁଣି, ମୁଁ ତାହାଙ୍କୁ ଜାଣେ ନାହିଁ ବୋଲି ଯଦି କହିବି, ତାହାହେଲେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ । 56ତୁମ୍ଭମାନଙ୍କର ପିତା ଅବ୍ରାହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ । 57ସେଥିରେ ଯିହୂଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏଯାଏଁ ପଚାଶ ବର୍ଷ ବୟସ ହୋଇ ନାହିଁ, ତୁମ୍ଭେ କ’ଣ ଅବ୍ରହାମଙ୍କୁ ଦେଖିଅଛ ? 58ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି । ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ । 59
Copyright information for
OriULB